Email: [email protected]

Phone: 91+0674-2720935

logo
logo

Current Issue

Content

Editorial

ଦାନ୍ତହୀନ ରାଜନୈତିକ ଦଳ ଓ ‘ବେଦାନ୍ତ’
ନିୟମଗିରିର ଡଙ୍ଗରିଆ ଆଦିବାସୀମାନଙ୍କର ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ଚାଲିଥିବା ସଂଘର୍ଷ ଭିତରେ ସେମାନଙ୍କ ପ୍ରତି ସଂହତି ଓ ସମର୍ଥନ ଜଣାଇ ସ୍ଥାନୀୟ ସ୍ତରଠାରୁ ଆରମ୍ଭ କରି ବିଶ୍ୱସ୍ତର ଯାଏଁ ଅନେକ ବ୍ୟକ୍ତି ଓ ସଂଗଠନମାନେ ସହଯୋଗର ହାତ ବଢ଼ାଇ ଆସିଛନ୍ତି । ସହଯୋଗ କରୁଥିବା ଲୋକମାନେ ଯେ ସମସ୍ତେ ଗୋଟିଏ ବିଚାର, ଆଦର୍ଶ ଓ ମାନସିକତାର ଲୋକ ତାହା ଆଦୌ ନୁହଁ । ଏମିତିକି ସେମାନଙ୍କ ଭିତରେ ବେଳେ ବେଳେ ପ୍ରତିଯୋଗିତା ବି ଚାଲିଥାଏ କିଏ ପ୍ରକୃତ ସହଯୋଗୀ କଥାଟିକୁ ସାବ୍ୟସ୍ତ କରିବାପାଇଁ । ତଥାକଥିତ ସଫଳତାର ଶ୍ରେୟକୁ ନେଇ ଦାବି କରିବାରେ ମଧ୍ୟ ନିଜ ନିଜ ଭିତରେ ଅଘୋଷିତ ଏବଂ ଅଳ୍ପଚର୍ଚ୍ଚିତ ପ୍ରତିଯୋଗିତା ଚାଲିଥାଏ । କିନ୍ତୁ ଗୋଟିଏ କଥା ସତ ଏବଂ ସ୍ପଷ୍ଟ ଯେ ସେମାନେ ସମସ୍ତେ ଡଙ୍ଗରିଆ ଆଦିବାସୀମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ତଥା ନିୟମଗିରି ଭଳି ଜୈବବିବିଧତାର ଏକ ଭୂସ୍ୱର୍ଗ ଭଳି ପାହାଡ଼ର ସୁରକ୍ଷା ପାଇଁ ନିଷ୍ଠାପର ଭାବେ ଅଙ୍ଗିକାରବଦ୍ଧ । ସେମାନେ ନିୟମଗିରି ଓ ଡଙ୍ଗରିଆଙ୍କୁ ନେଇ କେବେ ବି ସାଲିସ କରିବେ ନାହିଁ ବା କାହାର ଦଲାଲ ଭାବେ କାମ କରିପାରିବେ ନାହିଁ ଏହି କଥାର ଯଥେଷ୍ଟ ପ୍ରମାଣ ଦେଇ ଆସିଛନ୍ତି । ନିୟମଗିରିର ଏକମାତ୍ର ବ୍ୟତିକ୍ରମ କଂଗ୍ରେସ ଦଳ । ଆଗରୁତ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ଭଳି ଦଳମାନେ ନିୟମଗିରିକୁ ଲକ୍ଷରେ ରଖିଥିବା ବେଦାନ୍ତ କମ୍ପାନୀର ହାତବାରିସି ଭଳି କାମ କରିଆସିଛନ୍ତି । ବାଜପେୟୀଙ୍କ ଅମଳରେ ସୃଷ୍ଟି ହୋଇଥିଲା ‘ବେଦାନ୍ତ’ ଭାଜପାର ଏକ ମୂଲ୍ୟବାନ ବନ୍ଧୁଭାବରେ ଏବେ ଅଧିକ ଦୃଶ୍ୟମାନ ହେଉଛି । ତେବେ କଂଗ୍ରେସ ଦଳ କିଛି ପଛରେ ନାହିଁ । ୨୦୦୯-୧୦ ମସିହାରେ କଂଗ୍ରେସର ଆଦିବାସୀ ପ୍ରିୟ ଯୁବନେତା ରାହୁଲ ଗାନ୍ଧୀଙ୍କର ଲାଞ୍ଜିଗଡ଼ ଗସ୍ତ ଓ ଡଙ୍ଗରିଆଙ୍କ ପାଇଁ ସିପାହୀ ଭଳି ଦିଲ୍ଲୀରେ କାମ କରିବାପାଇଁ ଘୋଷଣା କରିବା ସତ୍ତ୍ୱେ ରାଜ୍ୟର କଂଗ୍ରେସ ଦଳ ଉପରେ ଏହାର କିଛି ପ୍ରଭାବ ନାହିଁ । ଏବେକାର ରାଜ୍ୟ ନେତୃତ୍ୱ ସମ୍ପୂର୍ଣ୍ଣଭାବେ ବେଦାନ୍ତ ସହିତ ଅଛନ୍ତି ଏହି କଥା ସେହି ଅଞ୍ଚଳର ଆନ୍ଦୋଳନକାରୀମାନେ କହି ଆସିଛନ୍ତି । ଭାଜପା ଓ ବିଜୁ ଜନତା ଦଳ ତୁଳନାରେ ବହୁଗୁଣ କମ୍ ହେଲେ ବି ଜାତୀୟସ୍ତରରେ କଂଗ୍ରେସ ଦଳ ମଧ୍ୟ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ବେଦାନ୍ତ କମ୍ପାନୀଠାରୁ ଚାନ୍ଦା ଗ୍ରହଣ କରିଛନ୍ତି । ସେହି ଦୃଷ୍ଟିରୁ ଦେଖିଲେ ଓଡ଼ିଶାରେ ଏହି ଦଳର ନେତୃତ୍ୱକୁ ଭରସା କରିବା ସଂଘର୍ଷରତ ଜନଆନ୍ଦୋଳନଗୁଡ଼ିକ ପାଇଁ ସହଜ ହେବ ନାହିଁ । ଏହି କଥାର ପ୍ରମାଣ ମଧ୍ୟ ତୁହାକୁ ତୁହା ମିଳି ଚାଲିଛି ।

Lead Column (ପ୍ରମୁଖ ସ୍ତମ୍ଭ)

ପୁନଶ୍ଚ କନ୍ଧମାଳ
ବିଘ୍ନେଶ୍ୱର ସାହୁ 7008787364 / [email protected]

ସାମାଜିକ ଗଣମାଧ୍ୟମ ସୌଜନ୍ୟରୁ ଜାଣିବାକୁ ପାଇଲୁ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀ ଗାଁ ଅଞ୍ଚଳରେ ଜୁଲାଇ ୨୦୨୫ଶେଷ ସପ୍ତାହରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଦୁଇ ସମୁଦାୟ ମଧ୍ୟରେ ସଂଘର୍ଷ ଘଟିଛି । ଉଭୟପକ୍ଷ ଥାନାରେ ଏତଲା ଦେଇଛନ୍ତି କିନ୍ତୁ ପୁଲିସ କୁଆଡ଼େ କେବଳ ହିନ୍ଦୁ ସମ୍ପ୍ରଦାୟର ଏତଲାକୁ ଗ୍ରହଣକରି ଖ୍ରୀଷ୍ଟ୍ରୀୟ ଧର୍ମାବଲମ୍ବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କର ଏତଲାକୁ ମଧ୍ୟ ଗ୍ରହଣ କରାଯାଇ ନାହିଁ ଏବଂ ସଂଘର୍ଷରେ ସଂପୃକ୍ତଥିବା ହିନ୍ଦୁ ସମ୍ପ୍ରଦାୟ ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ରାଜ୍ୟରେ ହିନ୍ଦୁତ୍ୱବାଦୀମାନଙ୍କର ସମର୍ôଥତ ସରକାର କ୍ଷମତାରେ ଥିବା ଦୃଷ୍ଟିରୁ ଆମର ଆଶଙ୍କା ହେଲା ଯେ ୨୦୦୮ର ଖ୍ରୀଷ୍ଟିଆନ ବିରୋଧି ଉଗ୍ରହିଂସାରୁ ୧୭ବର୍ଷ ଧରି ସଂଘର୍ଷକରି ଶାନ୍ତିଫେରି ପାଇଥିବା କନ୍ଧମାଳ ହୁଏତ ସରକାରଙ୍କର ପକ୍ଷପାତିତା ଓ ସଂଘ ପରିବାର ସଂଗଠନମାନଙ୍କର ଉଗ୍ରମନୋଭାବ ଯୋଗୁଁ ପୁଣିଥରେ ଅଶାନ୍ତ ହେବା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ସେଥିପାଇଁ କନ୍ଧମାଳର କିଛି ସ୍ପର୍ଶକାତର ଅଞ୍ଚଳକୁ ଆମେ ବାସ୍ତବ ସ୍ଥିତି ପରଖିବା ପାଇଁ ଗସ୍ତ କରିଥିଲୁ । ଜୁଲାଇ ଶେଷ ସପ୍ତାହରେ କରାଯାଇଥିବା ଏହି ଅଧ୍ୟୟନ କାଳରେ ଆମେ ୨୦୦୮ର ଖ୍ରୀଷ୍ଟିଆନବିରୋଧି ହିଂସାର ଶିକାର ହୋଇଥିବା ଲୋକମାନଙ୍କୁ ଭେଟିଥିଲୁ ଏବଂ ଏଥି ସହିତ ସେହି ହିଂସାରେ ସଂପୃକ୍ତଥିବା ଆଦିବାସୀ ସମ୍ପ୍ରଦାୟର କିଛି ନେତୃସ୍ଥାନୀୟ ଲୋକଙ୍କୁ ଭେଟିଥିଲୁ । ଆମେ ମଧ୍ୟ ଚର୍ଚ୍ଚ ସହିତ ସଂପୃକ୍ତ ଥିôବା ଧର୍ମଯାଜକ ଓ କିଛି ଶାସକଦଳର ଲୋକମାନଙ୍କ ସହ ଆଲୋଚନା କରିଥିଲୁ । ତେବେ ସେହି ସବୁ ସାକ୍ଷାତ ଓ ଆଲୋଚନା ବେଳେ ଯେଉଁ ଚିତ୍ରପଟ୍ଟ ଆମ ଆଗରେ ଉନ୍ମୋଚନ ହୋଇଥିଲା ତାହାର ଉପସ୍ଥାପନା ପୂର୍ବରୁ ଉଚିତ୍ ହେବ କନ୍ଧମାଳରେ ଅନ୍ତତଃ ୨୦୦୭ ଓ ୨୦୦୮ର ସାମ୍ପ୍ରଦାୟକ ପରିସ୍ଥିତି, ସଂଘର୍ଷ, ହିଂସା ଓ ହିଂସା ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ସେହି ସବୁକୁ ଜାଣି ନଥିବା ଏବଂ ଜାଣିମଧ୍ୟ ଭୁଲିଯାଇଥିବା ଲୋକମାନଙ୍କୁ ଚୁମ୍ବକରେ ମନେପକାଇ ଦେବା ।