Email: [email protected]

Phone: 91+0674-2720935

logo
logo

Current Issue

Content

Editorial

ଆକାଶ ବଜାର
ଗୁରୁବାର, ଜୁନ୍ ୧୨,୨୦୨୫ର ଘଟଣା, ଯାହା ଏବେ ବି ଚର୍ଚ୍ଚାରେ ରହିଛି । ରାଜେନ୍ଦ୍ର ବାବୁଙ୍କ ଜନ୍ମତିଥିରେ କିଛି ପୁସ୍ତକ ପ୍ରକାଶନ ଉପସ୍ଥାପନ କରିବା କାମରେ ମୁଁ ଅଫିସ୍‌ରେ ବ୍ୟସ୍ତଥିବା ବେଳେ ମୋ ମୋବାଇଲ୍ ଫୋନ୍‌ଟି ନିରବ ଥିଲା । ଯେତେବେଳେ ଖୋଲିଲି ଗୋଟିଏ ଖବର ପ୍ରଥମେ ନଜରରେ ପଡ଼ିଲା । ଘରୁ ଆସିଥିବା ଏକ ଭିଡ଼ିଓ ଏବଂ ବାର୍ତ୍ତାରୁ ବୁଝି ହୋଇଗଲା ଯେ କିଛି ସମୟତଳେ ଅହମ୍ମଦାବାଦରେ ଏକ ବିମାନ ଦୁର୍ଘଟଣା ଘଟିଛି ଏବଂ ବିମାନଟି ଗୁଜୁରାଟର ପ୍ରସିଦ୍ଧ ଭେଷଜ ମହାବିଦ୍ୟାଳୟ ‘ବି.ଜେ ମେଡ଼ିକାଲ କଲେଜ’ର ଛାତ୍ରାବାସ ଉପରେ ପଡ଼ିଯାଇଛି । ବିମାନର ଶେଷଭାଗଟି ଛାତ୍ରାବାସ ଉପରେ ଅଟକିଥିବାର ଦୃଶ୍ୟ ମଧ୍ୟ ସେହି ବାର୍ତ୍ତା ସହିତ ଆସିଥିଲା । ମାତ୍ର କିଛିମାସ ତଳେ ପୁତ୍ରସମ ଡାକ୍ତର ଆଶୁତୋଷ ଏହି ମହାବିଦ୍ୟାଳୟରେ ପି.ଜି କରିବା ପାଇଁ ଯୋଗ ଦେଇଥିବାରୁ ପରିବାରର ସମସ୍ତେ ଚିନ୍ତିତ ଥିଲେ । ଫୋନ କରି ବୁଝିବାବେଳେ ଜଣାପଡ଼ିଲାଯେ ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିଲା । ଏୟାର ଇଣ୍ଡିଆର ବିମାନ ସଂଖ୍ୟା ଏ.ଆଇ ୧୭୧ ନାମରେ ପରିଚିତ ଏହି ବିମାନଟି ଆମେରିକୀୟ ବୋଇଂକମ୍ପାନୀର ୭୮୭ ଶୃଙ୍ଖଳର ସର୍ବଶ୍ରେଷ୍ଠ ବିମାନ ବୋଲି କୁହାଯାଇଥାଏ । ଆଶୁତୋଷ ଯେଉଁ ଛାତ୍ରାବାସରେ ରହୁଥିଲେ, ତାହାରି ଉପରେ ବିମାନର ବଡ଼ ଅଂଶଟିଏ ମାଡ଼ ହୋଇଥିଲା । କୋଠାଟିର ଏକ ବଡ଼ ଅଂଶ ଭୁଷୁଡ଼ି ଯାଇଥିବାବେଳେ କିଛି ଅଂଶ ପୋଡ଼ି ଯାଇଥିଲା । ଆଶୁତୋଷ ଡାକ୍ତରଖାନାରେ କାମରେ ବ୍ୟସ୍ତ ଥିଲାବେଳେ ତାଙ୍କର ଜଣେ ବନ୍ଧୁ ରାତି ଡିୟୁଟି ସାରି ଶୋଇପଡ଼ିଥିଲେ ଏବଂ ସେ ନିଦ୍ରିତ ଅବସ୍ଥାରେ ପୋଡ଼ିଯାଇ ମୃତ୍ୟୁବରଣ କରିଥିଲେ । ଆଶୁତୋଷଙ୍କ କୋଠରୀଟି ପୋଡ଼ିଯାଇଥିଲା । ମାତ୍ର ୫ଜଣ ଡାକ୍ତରୀ ଓ ପି.ଜି ଛାତ୍ରଙ୍କର ମୃତ୍ୟୁ ହୋଇଛି କୁହାଯାଉଥିବାବେଳେ ଜାଣିବାକୁ ପାଇଲୁ ଯେ ପ୍ରାୟ ୭୫ଜଣ ଡାକ୍ତର ନିଖୋଜ ଅଛନ୍ତି । ବିମାନରେ ଯାତ୍ରା କରୁଥିବା ୨୪୨ଜଣ ଯାତ୍ରୀ, ପାଇଲଟ ଓ ବିମାନ କର୍ମଚାରୀଙ୍କ ଭିତରୁ ଜଣେ ମାତ୍ର ନିଜ ଜୀବନକୁ ବଞ୍ଚାଇ ପାରିଥିବାବେଳେ ଅନ୍ୟ ସମସ୍ତେ ମୃତ୍ୟୁବରଣ କରିଥିଲେ । ନିଖୋଜ ଡାକ୍ତରମାନଙ୍କର ଖବର ଅପେକ୍ଷାରେ ଏବେ ବି ପରିବାରବର୍ଗ ଚାହିଁ ବସିଛନ୍ତି । ଏପଟେ କ୍ଷତିଗ୍ରସ୍ତ ହଷ୍ଟେଲର ଛାତ୍ର ତଥା ପାଖରେ ଥିବା ଅଧ୍ୟାପକମାନଙ୍କର ଘର ତୁରନ୍ତ ଖାଲିକରି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସେମାନଙ୍କର ବିକଳ୍ପ ଥଇଥାନର କିଛି ବ୍ୟବସ୍ଥା ହୋଇନାହିଁ ବୋଲି ଅଭିଯୋଗ ହେଉଛି । ତଥାପି ଡାକ୍ତରମାନଙ୍କ ପାଖରେ ସମୟ ନାହିଁ । ପୋଡ଼ିଜଳି ଯାଇଥିବା କେଉଁ ଶବଟି କାହାର; ତାକୁ ଚିହ୍ନଟ କରିବା ପାଇଁ ଡ଼ି.ଏନ୍‌.ଏ ପରୀକ୍ଷା କରିବା ଏବଂ ମୃତ୍ୟୁବରଣ କରିଥିବା ନିଜର ଡାକ୍ତର ସାଥିମାନଙ୍କୁ ଖୋଜି ବାହାର କରିବା ସେମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଯାଇଛି ।

Lead Column (ପ୍ରମୁଖ ସ୍ତମ୍ଭ)

ଜନବିରୋଧ ସତ୍ତ୍ୱେ ସିଜିମାଳିରେ ଖଣି ପ୍ରକଳ୍ପ ପ୍ରକ୍ରିୟା ଜାରି!
ବିଘ୍ନେଶ୍ୱର ସାହୁ ୭୦୦୮୭୮୭୩୬୪/[email protected]

ପୂର୍ବରୁ ଆମେ ସିଜିମାଳି ଏବଂ ଜନବିରୋଧ କଥା ଲେଖି ସାରିଛୁ । ଏବେ ଏହି ବିରୋଧ ସହିତ ସମଗ୍ର ସଚେତନ ସମାଜ ଯେମିତି ଦୁଇ ପାଦ ଆଗକୁ ଆସିଛି । ଅନେକ ବିରୋଧ ଏବଂ ବେଆଇନ ସରକାରୀ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଜନପ୍ରତିବାଦ କମିବା ତ ଦୂରର କଥା ବରଂ ଅଧିକ ବଳଯୋଗାଡ଼ କରିବାରେ ଲାଗିଛି । ଜୁନ ୫ତାରିଖ ବିଶ୍ୱ ପରିବେଶ ଦିବସ ଦିନ ଭୋର ସମୟରେ ରାୟଗଡ଼ା ପୁଲିସ ଜଣାଶୁଣା ପରିବେଶବିତ୍ ମେଧା ପାଟକର, କୃଷକ ନେତା ଲିଙ୍ଗରାଜ ଓ ହର ବଣିଆ ତଥା ମାନବ ଅଧିକାର କର୍ମୀ ନରେନ୍ଦ୍ର ମହାନ୍ତିଙ୍କୁ କାଶୀପୁର ବ୍ଲକର ସୁଙ୍ଗେର ଗାଁକୁ ଯିବାକୁ ନଦେଇ ରାୟଗଡ଼ା ରେଳ ଷ୍ଟେସନରେ ଅଟକ ରଖିଲା । ସେମାନେ ମା ମାଟି ମାଳି ସୁରକ୍ଷା ମଞ୍ଚ – ବେଦାନ୍ତର ସିଜିମାଳି ବକ୍‌ସାଇଟ ପ୍ରକଳ୍ପ ବିରୁଦ୍ଧରେ ଆନ୍ଦୋଳନକୁ ନେତୃତ୍ୱ ଦେଉଥିବା ସଂଗଠନ ଦ୍ୱାରା ପାଳିତ ହେଉଥିବା ବିଶ୍ୱ ପରିବେଶ ଦିବସର ନିମନ୍ତ୍ରିତ ଅତିଥି ଥିଲେ । ପରେ ପୁଲିସ ହେପାଜତରେ ନିମନ୍ତ୍ରିତ ଅତିଥିମାନଙ୍କୁ ବଳପୂର୍ବକ ବ୍ରହ୍ମପୁର ପଠେଇ ଦିଆଗଲା । ଜଣାପଡ଼ିଲା ଯେ ଜୁନ ୪ ତାରିଖରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩(୩) ବଳରେ ନିଷେଧାତ୍ମକ ଆଦେଶଟି ରାୟଗଡ଼ା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଏକତରଫା ଭାବେ ଜାରି କରାଯାଇଥିଲା ଏବଂ ଅଭିଯୁକ୍ତମାନଙ୍କୁ ସେମାନଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇ ନଥିଲା । ଆଦେଶଟିରେ ଆସନ୍ତା ଦୁଇ ମାସପାଇଁ ୨୪ଜଣଙ୍କୁ ରାୟଗଡ଼ା ଜିଲ୍ଲା ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ସେଥିରେ ଲେଖାଯାଇଛି, ‘ଜିଲ୍ଲାରେ ସେମାନଙ୍କର ଉପସ୍ଥିତି ଓ ଚଳପ୍ରଚଳ ଆଇନଶୃଙ୍ଖଳାରେ ବାଧା ଉପୁଜାଇପାରେ, ସର୍ବସାଧାରଣ ଶାନ୍ତିକୁ ବ୍ୟାହତ କରିପାରେ ଓ ଜିଲ୍ଲାରେ ପ୍ରଶାସନିକ କାର୍ଯ୍ୟର ସୁଗମ ପରିଚାଳନା ଓ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ ।’ ଏଭଳି ଏକ ଅଗଣତାନ୍ତ୍ରିକ ଏବଂ ବେଆଇନ ସରକାରୀ କାର୍ଯ୍ୟବିରୋଧରେ ରାଜ୍ୟ ତଥା ଦେଶର ପ୍ରଗତିଶୀଳ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ସଂଗଠିତ ହୋଇ ପ୍ରତିରୋଧର ସ୍ୱରକୁ ଶାଣିତ କରିଛନ୍ତି । ସେମାନେ ରାଜ୍ୟର ରାଜ୍ୟପାଳଙ୍କ ନିକଟରେ ନିଜର ପ୍ରତିବାଦର କାରଣ ଦର୍ଶାଇ ଏଥିରେ ହସ୍ତକ୍ଷେପ କରିବା ପାଇଁ ମଧ୍ୟ ଆବେଦନ କରିଛନ୍ତି ।